କଟକୀ ମଶା
ଶ୍ରୀ ଗୌତମ ଚନ୍ଦ୍ର ପାଣିଗ୍ରାହୀ
ବିଶିନଗର, କଟକ
ଏତ କଟକ ସହର ମଶା ଏତ କଟକ ସହର ମଶା,
ସଂଧ୍ୟା ହେଲାପରେ ଛଡେଇ ଦେଉଛି
କଟକିଆଙ୍କର ନିଶା
ଏତ କଟକ ସହର ମଶା ॥ ୦ ॥
ଦେଖ ସରକାରଙ୍କର ଦଶା
ନିଜ ପାରିବାପଣିଆ ଘୋଷା
ନିଜ ନାମେ ନିଜେ ପ୍ରଶଂସା କରନ୍ତି
ହେଲେ ମାରି ପାରନ୍ତିନି ମଶା
ଚାଲେ ସବୁବେଳେ ଅଙ୍କ କଷI
କ'ଣ କେମିତି କରିଲେ ହୋଇବ
ତାଙ୍କର ଟାଇଟି ଖୋସା ॥ ୧ ॥
ଦେଖ କଟକିଆଙ୍କର ଦଶା
ତାଙ୍କ ଅଳିଆ କରିବା ପେଷା
ରାସ୍ତାର ଉପରେ ନାଳର ଭିତରେ
ସବୁଠି ଅଳିଆ ଠେସା
ଏଠି କାହିକି ନ ହେବ ମଶା
ଏଠି କାହିଁକି ନ ହେବ ମଶା ॥୨॥
ଦେଖ ରାସ୍ତାଘାଟର ଦଶା
ଦେଖି କଟକିଆ ଲୋକ ହସା
ବରଷା ଟୋପାଏ ଆକାଶୁ ପଡିଲେ
ହୁଏ ରାସ୍ତାରେ ଡଙ୍ଗା ଭସା
କୁହ କେମିତି ହେବନି ମଶା
କୁହ କେମିତି ହେବନି ମଶା ॥୩॥
• ଜାନକୀ ଉଦ୍ଧାରଣ
ଶ୍ରୀ ଗୌତମ ଚନ୍ଦ୍ର ପାଣିଗ୍ରାହୀ
ବିଶିନଗର, କଟକ
ଜୟ ଜୟ ରାମଚନ୍ଦ୍ର ଜୟ ଘନଶ୍ୟାମ
ଦଶରଥ ପ୍ରାଣଧନ କୌଶଲ୍ୟା ନନ୍ଦନ,
ସୁମିତ୍ରାର ଗଣ୍ଠିଧନ କୈକେୟୀ ନୟନ
ଜୟ ଜୟ ଦୀନବନ୍ଧୁ ଦୁରିତ ନାଶନ ॥୦॥
ତୁମେ ରଘୁକୁଳ ପତି ପତିତ ପାବନ
ତୁମେ ରବିକୁଳ ଇନ୍ଦୁ ଜଗତ ଜୀବନ
ବଇଦେହୀ ଜୀବ ଜୀବ କମଳଲୋଚନ
ଭକ୍ତ ଜନ ମନ ହାରୀ ପ୍ରଜାର ରଂଜନ ॥୧॥
ଶିବଧନୁ ଭାଙ୍ଗି କଲେ ଜାନକୀ ବରଣ
ପରଶୁ ରାମଙ୍କ କଲେ ଗରବ ନାଶନ
ପିତୃସତ୍ୟ ପାଳି କଲେ ବନକୁ ଗମନ
ଜନକ ନନ୍ଦିନୀ ସାଥେ ଥିଲେ ଯେ ଲକ୍ଷ୍ମଣ ॥୨ ॥
ଗଉତମ ଶାପେ ନାରୀ ହୋଇଲା ପାଷାଣ
।ପଦରଜ ଦେଇ ତାରେ କଲେ ଉଦ୍ଧାରଣ,
ବିଜ୍ଞାନୀ କୈବର୍ତ୍ତ କଲା ପଦ ପ୍ରକ୍ଷାଳନ
ଯାହା କେବେ ନ ହୋଇଲା ବ୍ରହ୍ମା ରୁଦ୍ରେ ପୁଣ ॥୩॥
ବ୍ରହ୍ମା ବଳେ ବଳିଆର ବିଶ୍ରବା ନନ୍ଦନ
ତିନିଲୋକ ବାହୁବଳେ ଜିଣିଲା ସେ ପୁଣ,
ପୁରନ୍ଦରେ ଜିଣି ପାଶେ ଖଟାଏ ବହନ
ଜାଗଜଜ୍ଞ ନଷ୍ଟ କରେ ସେ ବିଂଶ ଲୋଚନ ॥୪॥
ସୃପନଖାର ଆଦେଶେ ପ୍ରବେଶି ରାବଣ
କଉଶଳେ ଧରିନେଲା ସୀତୟାକୁ ଜାଣ
ସୁଗ୍ରୀବ ଓ ହନୁମନ୍ତ ମିଳି ତତକ୍ଷଣ
ଚତୁର୍ଦିଗେ ସୀତୟାଙ୍କୁ କଲେକ ସନ୍ଧାନ ॥ ୫॥
ମାତାଙ୍କୁ ଲଙ୍କାରେ ଦେଖି ବୀର ହନୁମାନ
ଅସୁରବଳ ବିନାଶୀ କଲେ ଲଙ୍କାର ଦହନ
ବାନର ସହିତ ରାମ ଚଳିଲେ ବହନ
ସାଗର ବାନ୍ଧିଣ ଯାତ୍ରା ଆରମ୍ଭିଲେ ପୁଣ ॥୬॥
ବିଶାଳ ସଂଗ୍ରାମେ ଲଙ୍କେ ହୋଇଲା କମ୍ପନ
ପ୍ରଭୁଙ୍କର ସହାୟତା କଲେ ବିଭୀଷଣ
ସବାନ୍ଧବେ ଦୈତ୍ୟ ଗଲା ଯମର ଭୂବନ
ଲଙ୍କାଗଡେ ବିଭୀଷଣ ହୋଇଲା ରାଜନ ॥୭॥
ସୀତା ଉଦ୍ଧାରଣ କଲେ କମଳ ନୟନ
ଦେବ ନାଗ ଗନ୍ଧର୍ବ ଯେ କଲେ ଗୁଣଗାନ
ଅନେକ ନାମ ତୁମ୍ଭର ଅସୀମିତ ଗୁଣ
କିଅବା ଭଣିବି ମୁହିଁ ଛାର ମୃଢ ଜନ ॥୮॥
• ଡୁଏଟ୍
ସୁଖ ଆସୁ ଦୁଃଖ ଆସୁ ସାଥେ ଥିବା ରହି
ଯେତେ ଯାହା ଆସିଲେବି ଡରିଯିବା ନାହିଁ । (ଘୋଷା)
ହସିହସିକା ଜୀବନେ ମୋର ଭରିଦେଇଛ ହସ
ବିରସଭରା ମନରେ ମୋର ଭରିଛ ମଧୁରସ
ଭରିଛ ମଧୁରସ ।
ଝଡ଼ ଆସୁ ଝଞ୍ଜା ଆସୁ ଆସୁ ବା ବତାସ
ତୁମେ ଥିଲେ ସାଥେ ମୋର ନାହିଁ ଅବଶୋଷ ॥୧॥
ନିସଙ୍ଗ ଏଇ ଜୀବନେ ମୋର ଥିଲି ଯେ ଏକା ହୋଇ
ନିଦାଘ ଭରା ଜୀବନେ ମୋର ଆସିଲ ଛାଇ ହୋଇ
ଆସିଲ ଛାଇ ହୋଇ ।
ଫୁଲ ମିଳୁ କଣ୍ଟା ମିଳୁ କିଛି ଚିନ୍ତା ନାହିଁ
କଥା ଦେଲି ସାଥି ମୋର ଯିବିନି ଦୂରେଇ ॥୨॥
ସାରା ଜୀବନ ହସିବି ସଦା ତୁମକୁ ସାଥେ ନେଇ
ବାର ବାର ମୁଁ ଜନମ ନେବି ତୁମରି ସାଥି ହୋଇ
ତୁମରି ସାଥି ହୋଇ ।
ତୁମେ ମୋର ହୃଦୟର ଝରା ଫୁଲ ହୋଇ
ଝରୁଥିବ ସଦା ତୁମେ ମନ ମୋର ଛୁଇଁ ॥୩॥
ଚଲା ପଥରେ ଆମ ଆଗରେ ଯେତେ ଆସିବ ଦୁଃଖ
ହସି ହସିକା ସହିବା ସବୁ କରିବା ନାହିଁ ଶୋକ
କରିବା ନାହିଁ ଶୋକ ।
ରାଗ ରୁଷା ଅଭିମାନ ଦେବା ଦୂରେ ଥୋଇ
ଚାଲୁଥିବା ସାଥେ ସଦା ଆମେ ସାଥି ହୋଇ ॥୪॥
ଭଲ ଲାଗିଲେ ଲାଇକ୍ କରନ୍ତୁ
ଧନ୍ୟବାଦ